ଜାକର୍ତ୍ତା/ପାଲେମବାଙ୍ଗ: ପୁରୁଷ ହକିରେ ଭାରତର ସ୍ୱର୍ଣ୍ଣ ପଦକ ଜିତିବା ଆଶା ମଉଳି ଯାଇଛି। ଗୁରୁବାର ମାଲେସିଆଠାରୁ ୬-୭ ଗୋଲ୍ରେ ହାରିବା ପରେ ଏସିଆଡ଼୍ରେ ଲଗାତାର ଦ୍ୱିତୀୟ ବାର ବିଜେତା ହେବା ସ୍ୱପ୍ନ ବି ଭାଙ୍ଗି ଚୁର୍ ମାର୍ ହୋଇ ଯାଇଛି। ଆଜିର ହୃଦୟ ବିଦାରକ ପରାଜୟ ପାଇଁ ଭାରତ ଫାଇନାଲ୍ ପର୍ଯ୍ୟାୟରୁ ବାଦ୍ ପଡ଼ିଛି। ସେହିଭଳି ଟୋକିଓ ଅଲିମ୍ପିକ୍ସ ଲାଗି ସିଧାସଳଖ ଯୋଗ୍ୟତା ଅର୍ଜନ କରିବାର ସୁଯୋଗ ମଧ୍ୟ ହାତଛଡ଼ା କରିଛି। ଗୁରୁବାରର ଅପ୍ରତ୍ୟାଶିତ ପରାଜୟ ପରେ ଭାରତ ଏବେ କାଂସ୍ୟ ପଦକ ପାଇଁ ଶନିବାର ପାକିସ୍ତାନ ସହ ଲଢ଼ିବ। ତୀବ୍ର ସଂଘର୍ଷପୂର୍ଣ୍ଣ ସେମିଫାଇନାଲ୍ ମୁକାବିଲାରେ ଭାରତ ୨-୧ରେ ଆଗୁଆ ଥିଲା ବେଳେ ଶେଷ ମିନିଟ୍ରେ ଗୋଲ୍ ବରଣ କରି ମାଲେସିଆକୁ ମ୍ୟାଚ୍କୁ ଫେରିବାର ସୁଯୋଗ ଦେଇଥିଲା। ଏହା ପରେ ପେନାଲ୍ଟି ସୁଟଆଉଟ୍ର ୫ ସଟ୍ରେ ଉଭୟ ଦଳ ଦୁଇଟି ଲେଖାଏଁ ଗୋଲ୍ କରି ପୁଣି ଥରେ ବରାବର ସ୍ଥିତିରେ ରହିଥିଲେ। ହେଲେ ସଡନଡେଥ୍ରେ ବାଜିମାରି ମାଲେସିଆ ଦ୍ୱିତୀୟ ଥର ପାଇଁ ଫାଇନାଲ୍ ଯାଇଥିଲା। ଏଥିରେ ମାଲେସିଆର ୫ ଜଣ ଖେଳାଳି ଗୋଲ୍ କରିବା ପରେ ଭାରତର ୪ ଜଣ ଖେଳାଳି ସଫଳ ହୋଇଥିଲେ। ଏସ୍ଭି ସୁନୀଲ କରିଥିବା ଶେଷ ପ୍ରୟାସକୁ ମାଲେସିଆ ଗୋଲ୍ ରକ୍ଷକ ଚତୁରତାର ସହ ଅଟକାଇ ଦେଇଥିଲେ। ସେହିଠାରେ କୋଟି କୋଟି ଭାରତୀୟ ହକି ପ୍ରେମୀଙ୍କ ହୃଦୟ ଭାଙ୍ଗି ଯାଇଥିଲା। ମାଲେସିଆ ଉତ୍କଣ୍ଠାପୂର୍ଣ୍ଣ ବିଜୟ ହାସଲ କରି ସ୍ୱର୍ଣ୍ଣ ଲଢ଼େଇ ଟିକେଟ ପାଇଥିଲା। ଭାରତ ଏଣିକି କାଂସ୍ୟ ପଦକ ପାଇଁ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ। ଏହି ମ୍ୟାଚ୍ ସହ ଫାଇନାଲ୍ ସେପ୍ଟେମ୍ବର ପହିଲାରେ ଅନୁଷ୍ଠିତ ହେବ। ପାକିସ୍ତାନକୁ ଜାପାନ ୧-୦ରେ ହରାଇ ଦ୍ୱିତୀୟ ଦଳ ଭାବେ ଫାଇନାଲ୍ ଯାଇଥିଲା।
ଭିଡିଓ ରେଫରାଲରେ ମାଲେସିଆ ଗୋଲ୍ ନାକଚ ହେବା ପରେ ପ୍ରଥମ ଦୁଇ କ୍ୱାର୍ଟର ଗୋଲ୍ ଶୂନ୍ୟ ରହିଥିଲା। ତୃତୀୟ କ୍ୱାର୍ଟରରେ ତିନିଟି ଗୋଲ୍ ହେବା ପରେ ମାଲେସିଆ ଚତୁର୍ଥ କ୍ୱାର୍ଟରରେ ଗୋଲ୍ ଦେଇ ପରାଜୟରୁ ବର୍ତି ଯାଇଥିଲା। ଭାରତ ପକ୍ଷରୁ ହରମନପ୍ରୀତ ସିଂହ (୩୩) ଓ ବରୁଣ (୪୦) ଦୁଇଟି ଗୋଲ୍ କରିଥିଲେ। ଅନ୍ୟ ପକ୍ଷରେ ମାଲେସିଆ ପାଇଁ ଫୈଜଲ (୪୦) ଏବଂ ରହିମ ଆବିଦି (୫୯) ଗୋଲ୍ ଦେଇଥିଲେ। ଭାରତୀୟ ପୁରୁଷ ହକି ଦଳ ଲିଗ୍ ପର୍ଯ୍ୟାୟରେ ୭୬ ଗୋଲ୍ (ଯାହା କି ଏକ ବିଶ୍ୱ କୀର୍ତ୍ତିମାନ) ଦେଇ ସେମିଫାଇନାଲ୍ ଯାଇଥିଲା। ଭାରତ ଗତ ଏସିଆଡ଼୍ରେ ପାକିସ୍ତାନକୁ ହରାଇ ବିଜେତା ହୋଇଥିଲା।